इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ନିଜ ଲୋକଙ୍କୁ ହରାଇବାର ଦୁଃଖ କିପରି ସହିବା ?

ଦୁଃଖରୁ ବାହାରିବା ପାଇଁ​—ଆପଣ କʼଣ କରିପାରିବେ ?

ଦୁଃଖରୁ ବାହାରିବା ପାଇଁ​—ଆପଣ କʼଣ କରିପାରିବେ ?

ଦୁଃଖରୁ ବାହାରିବା ପାଇଁ ଯଦି ଆପଣଙ୍କୁ କାହାରି ପରାମର୍ଶ ଆବଶ୍ୟକ, ତାହେଲେ ଆପଣଙ୍କୁ ଅନେକଗୁଡ଼ିଏ ପରାମର୍ଶ ମିଳିବ । କିଛି ପରାମର୍ଶ ହୁଏତ ଆପଣଙ୍କ ବହୁତ କାମରେ ଆସିପାରେ କିନ୍ତୁ କିଛି ପରାମର୍ଶ ହୁଏତ ଆପଣଙ୍କ କାମରେ ଆସି ନ ପାରେ । ଏହାର କାରଣ ହେଉଛି ସମସ୍ତେ ଅଲଗା ଅଲଗା ପ୍ରକାରର ଭାବନା ସହ ଲଢ଼ନ୍ତି । ଯେଉଁ ପରାମର୍ଶ ହୁଏତ ଜଣେ ବ୍ୟକ୍ତିର କାମରେ ଆସେ, ହୁଏତ ସେହି ପରାମର୍ଶ ଅନ୍ୟ ବ୍ୟକ୍ତିର କାମରେ ଆସି ନ ପାରେ ।

କିନ୍ତୁ କିଛି ଏପରି ପରାମର୍ଶ ଅଛି ଯେଉଁଗୁଡ଼ିକୁ ମାନି ଅନେକ ଲୋକଙ୍କୁ ଲାଭ ହୋଇଛି । ସେହି ପରାମର୍ଶଗୁଡ଼ିକ ଗୋଟିଏ ପ୍ରାଚୀନ ବହି ବାଇବଲର କିଛି ସିଦ୍ଧାନ୍ତ ଉପରେ ଆଧାରିତ । ଏହା ସବୁ ସମୟର ଲୋକମାନଙ୍କ କାମରେ ଆସେ । ଅନେକ ବିଶେଷଜ୍ଞ ମଧ୍ୟ ଏହି ସିଦ୍ଧାନ୍ତଗୁଡ଼ିକ ଅନୁସାରେ ପରାମର୍ଶ ଦିଅନ୍ତି ।

୧: ସାଙ୍ଗ ଓ ସମ୍ପର୍କୀୟମାନଙ୍କ ସାହାଯ୍ୟ ନିଅନ୍ତୁ

  • କିଛି ବିଶେଷଜ୍ଞ ମାନନ୍ତି ଯେ ଦୁଃଖରୁ ବାହାରିବା ପାଇଁ ସାଙ୍ଗ ଓ ସମ୍ପର୍କୀୟମାନଙ୍କ ସାହାଯ୍ୟ ନେବାକୁ ପଡ଼ିଥାଏ । କିନ୍ତୁ ବେଳେ ବେଳେ ହୁଏତ ଆପଣ ଏକୁଟିଆ ରହିବା ପାଇଁ ଚାହିଁବେ । ଏପରି ସମୟରେ ଯଦି କେହି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି, ତେବେ ହୁଏତ ଆପଣ ବିରକ୍ତ ହୋଇଯିବେ । ଏହା ସ୍ୱାଭାବିକ ଅଟେ ।

  • ଏହା ଭାବନ୍ତୁ ନାହିଁ ଯେ ଆପଣଙ୍କୁ ସବୁବେଳେ ଲୋକଙ୍କ ଗହଳିରେ ରହିବା ଉଚିତ୍‌ । କିନ୍ତୁ ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ଆପଣ ଅନ୍ୟମାନଙ୍କ ସହିତ ଥିବା ବେଳେ ଏକୁଟିଆ ଓ ଚୁପ୍‌ଚାପ୍‌ ରହନ୍ତୁ ନାହିଁ । ଆଗକୁ ଯାଇ ଆପଣଙ୍କୁ ସେମାନଙ୍କର ଆବଶ୍ୟକତା ପଡ଼ିପାରେ । ପ୍ରେମର ସହ ଅନ୍ୟମାନଙ୍କୁ କହନ୍ତୁ ଯେ ବର୍ତ୍ତମାନ ଆପଣଙ୍କୁ କେଉଁ ଜିନିଷର ଆବଶ୍ୟକତା ଅଛି ।

  • ଯେବେ କାହାରି ସାହାଯ୍ୟ ଦରକାର, ତେବେ ସେମାନଙ୍କ ସହ ସମୟ ବିତାନ୍ତୁ ଆଉ ଯେବେ ଆପଣଙ୍କୁ ଏକୁଟିଆ ରହିବା ପାଇଁ ଇଚ୍ଛା ହୁଏ ତେବେ ଏକୁଟିଆ ରହନ୍ତୁ ।

ସିଦ୍ଧାନ୍ତ: “ଏକ ଜଣରୁ ଦୁଇ ଜଣ ଭଲ, ସେମାନେ ପଡ଼ିଲେ ଜଣେ ଆପଣା ସଙ୍ଗୀକି ଉଠାଇବ ।”​—ଉପଦେଶକ ୪:୯, ୧୦.

୨: ଖାଇବା ପିଇବାରେ ଧ୍ୟାନ ଦିଅନ୍ତୁ ଓ ବ୍ୟାୟାମ କରନ୍ତୁ

  • ସନ୍ତୁଳିତ ଖାଦ୍ୟ ଖାଇଲେ ଆମ ଚିନ୍ତା କମ୍‌ ହୋଇଥାଏ । ବିଭିନ୍ନ ପ୍ରକାରର ଫଳ, ପନିପରିବା ଓ କମ୍‌ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ ।

  • ପ୍ରଚୁର ପାଣି ପିଅନ୍ତୁ ଓ ଅନ୍ୟ ଭଲ ତରଳ ପଦାର୍ଥ ପିଅନ୍ତୁ ।

  • ଯଦି ଭୋକ ହୁଏନି ତାହେଲେ କମ୍‌ ସମୟ ମଧ୍ୟରେ ଅଳ୍ପ ଅଳ୍ପ ଖାଆନ୍ତୁ । ଆପଣ ଡାକ୍ତରଙ୍କୁ ପଚାରିପାରିବେ ଯେ ଆପଣ ଭିଟାମିନ୍‌ ବଟିକା ଖାଇପାରିବେ ନା ନାହିଁ । a

  • ଶୀଘ୍ର ଶୀଘ୍ର ଚାଲିଲେ କିମ୍ବା କିଛି ବ୍ୟାୟାମ କଲେ ଆପଣ ଚିନ୍ତା ଓ ରାଗରୁ ଦୂରେଇ ପାରିବେ । ବ୍ୟାୟାମ କରିବା ସମୟରେ ଆପଣଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ହୋଇଛି ସେବିଷୟରେ ଭାବିବା ପାଇଁ ସମୟ ମିଳିପାରେ । କିମ୍ବା କିଛି ସମୟ ପାଇଁ ଆପଣ ନିଜ ଦୁଃଖ ଭୁଲିପାରିବେ ।

ସିଦ୍ଧାନ୍ତ: “କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ ।”—ଏଫିସୀୟ ୫:୨୯.

୩: ଭଲ ନିଦ ନିଅନ୍ତୁ

  • ଭଲ ନିଦ ନେବା ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ । କିନ୍ତୁ ଏହା ବିଶେଷ କରି ସେହି ଲୋକମାନଙ୍କ ପାଇଁ ଆହୁରି ବେଶି ଜରୁରୀ ଯେଉଁମାନେ ଦୁଃଖର ସାମନା କରୁଛନ୍ତି । କାରଣ ଦୁଃଖ ଯୋଗୁଁ ସେମାନେ ଅଧିକ ଥକିଯାʼନ୍ତି ।

  • ମଦ ଆଉ ଏପରି ଜିନିଷ କମ୍‌ ନିଅନ୍ତୁ ଯେଉଁଥିରେ କେଫିନ୍‌ ଥାଏ, ଯେପରି ଚାʼ, କଫି ଇତ୍ୟାଦି । ଏହି ଜିନିଷଗୁଡ଼ିକ ଆମ ନିଦ ଉପରେ ଖରାପ ପ୍ରଭାବ ପକାଇପାରେ ।

ସିଦ୍ଧାନ୍ତ: “ଟିକେ ଆରାମ କରିବା, ବହୁତ ବେଶି କାମ କରିବା ଓ ପବନ ପଛରେ ଗୋଡ଼ାଇବାଠାରୁ ବହୁତ ଭଲ ।”—ଉପଦେଶକ ୪:୬ NWT.

୪: ଆପଣଙ୍କୁ ଯେଉଁ କଥାରୁ ସାହାଯ୍ୟ ମିଳିପାରେ, ତାହା କରନ୍ତୁ

  • ନିଜ ଲୋକଙ୍କ ମୃତ୍ୟୁରେ ସମସ୍ତଙ୍କୁ ଏକାଭଳି ଦୁଃଖ ହୋଇ ନ ଥାଏ । ଆପଣଙ୍କୁ ନିଜ ଦୁଃଖରୁ ବାହାରିବା ପାଇଁ ଯେଉଁ କଥାରୁ ସାହାଯ୍ୟ ମିଳିପାରେ, ତାହା କରନ୍ତୁ ।

  • ଅନେକ ଲୋକ କହନ୍ତି ଯେ ନିଜ ଦୁଃଖ କାହାରିକୁ କହିଲେ ଦୁଃଖ ସହିବା ପାଇଁ କିଛି ମାତ୍ରାରେ ସାହାଯ୍ୟ ମିଳେ । କିନ୍ତୁ କିଛି ଲୋକ ନିଜ ଦୁଃଖ କାହାରିକୁ କହନ୍ତି ନାହିଁ । ନିଜ ଭାବନା କାହାରିକୁ କହିଲେ ଦୁଃଖରୁ ବାହାରିବା ପାଇଁ ସାହାଯ୍ୟ ମିଳେ ନା ନାହିଁ, ଏବିଷୟରେ ବିଶେଷଜ୍ଞମାନେ ବି ଭିନ୍ନ ଭିନ୍ନ ମତ ଦିଅନ୍ତି । ଯଦି ଆପଣ ନିଜ ମନର କଥା କାହାରିକୁ କହିବା ପାଇଁ ଚାହାନ୍ତି, କିନ୍ତୁ ସଂକୋଚ କରୁଛନ୍ତି, ତେବେ କୌଣସି ଭଲ ସାଙ୍ଗକୁ ଟିକେ ଟିକେ କରି କହିପାରିବେ ।

  • କିଛି ଲୋକ କାନ୍ଦିଲେ ନିଜ ଦୁଃଖରୁ ବାହାରିପାରନ୍ତି, କିନ୍ତୁ ଆଉ କିଛି ଲୋକ ଏତେ କାନ୍ଦନ୍ତି ନାହିଁ ତଥାପି ନିଜକୁ ସମ୍ଭାଳି ନିଅନ୍ତି ।

ସିଦ୍ଧାନ୍ତ: “ଅନ୍ତଃକରଣ ଆପଣାର ତିକ୍ତତା ଜାଣେ ।”—ହିତୋପଦେଶ ୧୪:୧୦.

୫: ଖରାପ ଅଭ୍ୟାସରୁ ଦୂରେଇ ରହନ୍ତୁ

  • କିଛି ଲୋକ ନିଜ ଲୋକଙ୍କୁ ହରାଇବାର ଦୁଃଖକୁ ଭୁଲିବା ପାଇଁ ବହୁତ ମଦ ପିଅନ୍ତି କିମ୍ବା ଡ୍ରଗ୍ସ ନିଅନ୍ତି । ଏପରି କରି ସେମାନେ ନିଜ ଦୁଃଖକୁ ଆହୁରି ବଢ଼ାଇ ଦିଅନ୍ତି । କାରଣ ହୁଏତ ଏହି ଜିନିଷଗୁଡ଼ିକ କିଛି ସମୟ ପାଇଁ ସେମାନଙ୍କ ଦୁଃଖକୁ ଦୂର କରିଦିଏ, କିନ୍ତୁ ଆଗକୁ ଯାଇ ଏହାର ଖରାପ ପରିଣାମ ହୋଇପାରେ । ଆପଣ ନିଜ ମନକୁ ଶାନ୍ତ କରିବା ପାଇଁ କିଛି ଏପରି କରନ୍ତୁ ଯେଉଁଥିରୁ ଆପଣଙ୍କ କ୍ଷତି ନ ହେଉ ।

ସିଦ୍ଧାନ୍ତ: “ଆସ ସମସ୍ତ ଅଶୁଚିତାରୁ ଆପଣା ଆପଣକୁ ଶୁଚି କରୁ ।”—୨ କରିନ୍ଥୀୟ ୭:୧.

୬: ବେଳେ ବେଳେ ଅନ୍ୟ କଥାଗୁଡ଼ିକରେ ମନ ଲଗାନ୍ତୁ

  • ଅନେକ ଲୋକ କହନ୍ତି ଯେ ସବୁବେଳେ ଶୋକରେ ବୁଡ଼ି ରହିବା ପରିବର୍ତ୍ତେ ବେଳେ ବେଳେ ଅନ୍ୟ କଥାଗୁଡ଼ିକରେ ମନ ଲଗାଇଲେ ଟିକେ ଶାନ୍ତି ମିଳେ ।

  • ଆପଣ ଚାହିଁଲେ ନୂଆ ସାଙ୍ଗ କରିପାରିବେ, ପୁରୁଣା ସାଙ୍ଗମାନଙ୍କ ସହ ଅଧିକ ସମୟ ବିତାଇପାରିବେ, କିଛି ନୂଆ ଦକ୍ଷତା ଶିଖିପାରିବେ କିମ୍ବା ଟିକେ ମନୋରଞ୍ଜନ କରିପାରିବେ । ଏପରି କଲେ ଆପଣଙ୍କୁ କିଛି ସମୟ ପାଇଁ ଶାନ୍ତି ମିଳିପାରେ ।

  • ଯେପରି ସମୟ ଗଡ଼ିଚାଲିବ ଆପଣ ଏପରି କାମଗୁଡ଼ିକରେ ଅଧିକ ସମୟ ଦେବେ, ଆଉ ଧିରେ ଧିରେ ଆପଣଙ୍କ ଦୁଃଖ କମ୍‌ ହୋଇଯିବ ।

ସିଦ୍ଧାନ୍ତ: ‘ସବୁ ବିଷୟର କାଳ ଅଛି, ରୋଦନ କରିବାର ସମୟ ଓ ହାସ୍ୟ କରିବାର ସମୟ; ବିଳାପ କରିବାର ସମୟ ଓ ନୃତ୍ୟ କରିବାର ସମୟ ।’—ଉପଦେଶକ ୩:୧, ୪.

୭: ସେଡ୍ୟୁଲ ଅନୁସାରେ ଚାଲନ୍ତୁ

  • ଯେତେ ଶୀଘ୍ର ହୋଇପାରେ ନିଜ ସେଡ୍ୟୁଲ ପୂର୍ବ ଭଳି ଆରମ୍ଭ କରନ୍ତୁ ।

  • ଯଦି ଆପଣ ଚାକିରି, ଶୋଇବା ଓ ଅନ୍ୟ କାମଗୁଡ଼ିକ ପାଇଁ ଗୋଟିଏ ସେଡ୍ୟୁଲ ଅନୁସାରେ ଚାଲିବେ, ତାହେଲେ ଆପଣଙ୍କ ଜୀବନ ପୁଣିଥରେ ପୂର୍ବ ଭଳି ହୋଇପାରେ ।

  • ଆପଣ ଯେତେ ବେଶି ନିଜକୁ ଭଲ କାମରେ ବ୍ୟସ୍ତ ରଖିବେ ସେତେ ବେଶୀ ଆପଣ ନିଜ କଷ୍ଟକୁ ସହିପାରିବେ ।

ସିଦ୍ଧାନ୍ତ: “ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ୱର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି ।”—ଉପଦେଶକ ୫:୨୦.

୮: ବଡ଼ ବଡ଼ ନିଷ୍ପତ୍ତି ତୁରନ୍ତ ନିଅନ୍ତୁ ନାହିଁ

  • ଅନେକ ଲୋକ ନିଜ ଲୋକଙ୍କ ମୃତ୍ୟୁ ପରେ ତୁରନ୍ତ ବଡ଼ ବଡ଼ ନିଷ୍ପତ୍ତି ନିଅନ୍ତି । କିନ୍ତୁ ପରେ ସେମାନଙ୍କୁ ଅବଶୋଷ ହୁଏ ।

  • ଯଦି ସମ୍ଭବ, ବଡ଼ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଟିକେ ଅପେକ୍ଷା କରନ୍ତୁ । ଯେପରି ଘର ବଦଳାଇବା, ଚାକିରି ବଦଳାଇବା କିମ୍ବା ହରାଇଥିବା ନିଜ ଲୋକଙ୍କ ଜିନିଷ କାହାରିକୁ ଦେବା କିମ୍ବା ଫୋପାଡ଼ିବା ପାଇଁ ତରବର ହୁଅନ୍ତୁ ନାହିଁ ।

ସିଦ୍ଧାନ୍ତ: “କର୍ମଶୀଳର ସଙ୍କଳ୍ପରୁ କେବଳ ପ୍ରଚୁରତା ଜନ୍ମେ; ମାତ୍ର ପ୍ରତ୍ୟେକ ହଠାତ୍‌ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ ।”—ହିତୋପଦେଶ ୨୦:୫.

୯: ମୃତ୍ୟୁରେ ହରାଇଥିବା ନିଜ ଲୋକଙ୍କ ସ୍ମୃତି ମନେରଖନ୍ତୁ

  • ଅନେକ ଲୋକ କହନ୍ତି ମୃତ୍ୟୁରେ ହରାଇଥିବା ନିଜ ଲୋକଙ୍କ କଥା ମନେ ରଖିଲେ ନିଜ ଦୁଃଖ କମ୍‌ କରିବା ପାଇଁ ସାହାଯ୍ୟ ମିଳେ ।

  • ଆପଣ ଚାହିଁଲେ ସେମାନଙ୍କ ଫଟୋ କିମ୍ବା ଜିନିଷଗୁଡ଼ିକୁ ଏକାଠି କରିପାରିବେ । କିମ୍ବା ଗୋଟିଏ ଡାଏରିରେ ସେମାନଙ୍କ ଜୀବନର କିଛି ଘଟଣା ବା କଥାଗୁଡ଼ିକୁ ଲେଖିପାରିବେ, ଏପରି କଲେ ଆପଣଙ୍କୁ ସେମାନଙ୍କ ସବୁ ଜିନିଷ ମନେ ରହିବ ।

  • ଯେଉଁ ଜିନିଷଗୁଡ଼ିକ ସେମାନଙ୍କ ଭଲ କଥା ମନେ ପକାଏ, ସେସବୁ ଏକାଠି କରନ୍ତୁ । ପରେ ଯେବେ ଆପଣ ନିଜକୁ ସମ୍ଭାଳିନେବେ ତେବେ ସେଗୁଡ଼ିକୁ ଦେଖନ୍ତୁ ।

ସିଦ୍ଧାନ୍ତ: “ପୂର୍ବ କାଳର ଦିନ ସବୁ ସ୍ମରଣ କର ।”—ଦ୍ୱିତୀୟ ବିବରଣ ୩୨:୭.

୧୦: ବୁଲିବା ପାଇଁ ଯାଆନ୍ତୁ

  • ଆପଣ ଚାହିଁଲେ ବୁଲିବା ପାଇଁ ଯାଇପାରିବେ ।

  • ଯଦି ଅଧିକ ଦିନ ପର୍ଯ୍ୟନ୍ତ ଯାଇପାରୁ ନାହାନ୍ତି, ତାହେଲେ ଆପଣ ଦିନେ କିମ୍ବା ଦୁଇ ଦିନ ପାଇଁ ବୁଲିବା ପାଇଁ ଯାଇପାରିବେ । ଆପଣ ନିଜ ସାଙ୍ଗମାନଙ୍କ ସହ ପାର୍କ ଯାଇପାରିବେ କିମ୍ବା ସେମାନଙ୍କ ସହ ଚାଲିବା ପାଇଁ ଯାଇପାରିବେ । ଏପରି କଲେ ଆପଣଙ୍କୁ ଭଲ ଲାଗିବ ।

  • ପ୍ରତିଦିନର କାମ ଛଡ଼ା, ଯଦି ଆପଣ ଟିକିଏ ସମୟ ବାହାର କରି କୁଆଡ଼େ ଯିବେ, ତାହେଲେ ଆପଣଙ୍କ ମନକୁ ଟିକେ ଶାନ୍ତି ମିଳିପାରେ ।

ସିଦ୍ଧାନ୍ତ: “ତୁମ୍ଭେମାନେ ଅନ୍ତର ହୋଇ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର ।”—ମାର୍କ ୬:୩୧.

୧୧: ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ

  • ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଛୋଟ କାମ କଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ।

  • ଆପଣ ପ୍ରଥମେ ନିଜ ସାଙ୍ଗ ଓ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିପାରିବେ, କାରଣ ସେମାନେ ବି ଆପଣଙ୍କ ଅତିପ୍ରିୟ ଲୋକଙ୍କ ମୃତ୍ୟୁ ଯୋଗୁଁ ଦୁଃଖି ଥିବେ ଓ ସେମାନଙ୍କୁ ବି ଆପଣଙ୍କ ଭଳି ସାହାଯ୍ୟ ଦରକାର ।

  • ଅନ୍ୟମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କୁ ସାନ୍ତ୍ୱନା ଦେଲେ ଆପଣଙ୍କୁ ଖୁସି ପୁଣି ଫେରିଆସିବ ଓ ଆପଣଙ୍କୁ ଏପରି ଲାଗିବ ନାହିଁ ଯେ ବଞ୍ଚିବାର କୌଣସି ଲାଭ ନାହିଁ ।

ସିଦ୍ଧାନ୍ତ: “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।”—ପ୍ରେରିତ ୨୦:୩୫.

୧୨: ପୁଣିଥରେ ଭାବନ୍ତୁ ଯେ ଜୀବନରେ କେଉଁ କଥା ମହତ୍ତ୍ୱ ରଖେ

  • ନିଜ ଲୋକଙ୍କୁ ହରାଇବାର ଦୁଃଖ ଆପଣଙ୍କୁ ଏକଥା ବୁଝିବା ପାଇଁ ସାହାଯ୍ୟ କରିବ ଯେ ଜୀବନରେ କେଉଁ କଥା ସବୁଠୁ ବେଶି ମହତ୍ତ୍ୱ ରଖେ ।

  • ଗଭୀରତାର ସହ ଭାବନ୍ତୁ ଯେ ଆପଣ ଏବେ ଯାଏଁ କିପରି ନିଜ ଜୀବନ ବିତାଇଛନ୍ତି ।

  • ଯଦି ଆପଣଙ୍କୁ ଠିକ୍‌ କଥାଗୁଡ଼ିକ ଉପରେ ମହତ୍ତ୍ୱ ଦେବା ପାଇଁ କିଛି ପରିବର୍ତ୍ତନ କରିବାକୁ ପଡ଼େ, ତାହେଲେ ତାହା କରନ୍ତୁ ।

ସିଦ୍ଧାନ୍ତ: “ଭୋଜଗୃହକୁ ଯିବାଠାରୁ ବିଳାପ ଗୃହକୁ ଯିବାର ଭଲ; କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ ।”—ଉପଦେଶକ ୭:୨.

ଏହା ସତ ଯେ ଦୁନିଆର କୌଣସି ଜିନିଷ ଆପଣଙ୍କ କଷ୍ଟକୁ ପୂରାପୂରି ଦୂର କରିପାରିବ ନାହିଁ କିନ୍ତୁ ଆପଣଙ୍କ ଭଳି ଅନେକ ଲୋକ ଯେବେ ନିଜ ଦୁଃଖରୁ ବାହାରିବା ପାଇଁ କିଛି ଜରୁରୀ ପଦକ୍ଷେପ ନେଲେ, ତେବେ ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳିଲା । ସେମଧ୍ୟରୁ କିଛି ପରାମର୍ଶ ଏହି ଲେଖାରେ ଦିଆଯାଇଛି । ଏହା ସତ ଯେ ଏଥିରେ ସବୁ ପରାମର୍ଶ ଦିଆଯାଇନାହିଁ ଯେଉଁଗୁଡ଼ିକୁ ଆପଣାଇଲେ ଜଣେ ବ୍ୟକ୍ତିର ଦୁଃଖ କମ୍‌ ହୋଇପାରେ । ତଥାପି ଏଥିରେ ଦିଆଯାଇଥିବା କିଛି ପରାମର୍ଶକୁ ମାନିଲେ ଆପଣଙ୍କ ଦୁଃଖି ମନକୁ ନିଶ୍ଚୟ ଟିକେ ସାନ୍ତ୍ୱନା ମିଳିବ ।

a ସଜାଗ ହୁଅ ! ପତ୍ରିକା କୌଣସି ଏକ ପ୍ରକାରର ଚିକିତ୍ସାକୁ ପ୍ରୋତ୍ସାହନ ଦିଏ ନାହିଁ ।